୮୨ତମ ଗୋଲ୍ଡେନ୍ ଗ୍ଲୋବ୍-୨୦୨୫ ନୋମିନେସନ୍ ଘୋଷଣା ହୋଇଛି । ଏ ଥର ଭାରତୀୟ ସିନେ ଦୁନିଆର ଦବ୍ଦବା ଦେଖିବାକୁ ମିଳିଛି । ୨୦୨୪ ସିହାର ଡ୍ରାମା ଫିଲ୍ମ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନୋମିନେସନ୍ରେ ସ୍ଥାନ ପାଇଛି । ଫିଲ୍ମର ଲେଖିକା ଓ ନିର୍ଦ୍ଦେଶିକା ପାୟଲ କପାଡ଼ିଆ ଐତିହାସିକ ଗୋଲ୍ଡେନ୍ ଗ୍ଲୋବ୍ ନୋମିନେସନ୍ରେ ସ୍ଥାନ ପାଇଛନ୍ତି । ଫିଲ୍ମକୁ ଅଣ-ଇଂରାଜୀ ବିଭାଗରେ ଶ୍ରେଷ୍ଠ ମୋସନ୍ ପିକ୍ଚର ରେସ୍ରେ ମଧ୍ୟ ନୋମିନେଟ୍ କରାଯାଇଛି । ସୋମବାର ମିଣ୍ଡି କଲିଙ୍ଗ ଓ ମୋରିସ ଚେଷ୍ଟ୍ନଟ୍ ୮୨ତମ ଗୋଲଡେନ୍ ଗ୍ଲୋବ୍ ପୁରସ୍କାର ଲାଗି ନୋମିନେସନ୍ ଘୋଷଣା କରିଥିଲେ ।
ଭାରତ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ । କାରଣ ଗୋଲ୍ଡେନ୍ ଗ୍ଲୋବ୍ ଇତିହାସରେ ପ୍ରଥମ ଥର ଜଣେ ଭାରତୀୟ ନିର୍ଦ୍ଦେଶକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ବିଭାଗରେ ନୋମିନେଟ୍ କରାଯାଇଛି । ନିକଟରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆୱାର୍ଡ ଦ୍ୱାରା ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମର ଟାଇଟଲ ମିଳିଥିଲା । ଗୋଥମ୍ ଆୱାର୍ଡସ୍ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଥିଲା । ସେତିକି ନୁହେଁ, ସମ୍ମାନାସ୍ପଦ ସାଇଟ୍ ଆଣ୍ଡ୍ ସାଉଣ୍ଡ୍ ପତ୍ରିକା ଦ୍ୱାରା ଏହାକୁ ବର୍ଷର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଚୟନ କରାଯାଇଥିଲା । କାନି କୁସରୁତି, ଦିବ୍ୟା ପ୍ରଭା ଓ ଛାୟା କଦମଙ୍କ ଅଭିନୀତ ‘ଅଲ୍ ୱି ଇମାଜିନ୍ ଆଜ୍ ଲାଇଟ୍’ ୩ ଜଣ ମହିଳାଙ୍କ ଜରିଆରେ ମାୟାନଗରୀ ମୁମ୍ବାଇରେ ପ୍ରେମ, ଲାଳସା ଓ ନିଃସଙ୍ଗତାକୁ ପରଦାରେ ଉତାରିଛି । ଏହି ମହିଳାଙ୍କ ମଧ୍ୟରେ ଦୁଇଜଣ ନର୍ସ ପ୍ରଭା ଓ ଅନୁ ଏବଂ ସେମାନଙ୍କ ସାଙ୍ଗ ପ୍ରଭାତୀ ଅଛନ୍ତି ।
ଚଳିତ ବର୍ଷ ମେ’ ମାସରେ କାନ୍ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନଜନକ ଗ୍ରାଣ୍ଡ୍ ପ୍ରିକ୍ସ ସମ୍ମାନ ହାସଲ କରିବା ପରେ ଫିଲ୍ମଟି ଗୋଟିଏ ପରେ ଗୋଟିଏ ସମ୍ମାନ ଲାଭ କରିଥିଲା । ତେବେ ଅସ୍କାରରେ ଦେଶକୁ ପ୍ରତିନିଧିତ୍ୱ କରିବା ଲାଗି କମିଟି ଏହି ଫିଲ୍ମକୁ ଚୟନ କରିନଥିଲେ, ବରଂ କିରନ ରାଓଙ୍କ ‘ଲାପତା ଲେଡିଜ୍’କୁ ଭାରତର ଅସ୍କାର ଏଣ୍ଟ୍ରି ଭାବେ ଚୟନ କରାଯାଇଥିଲା । ଏ ଥର ଗୋଲ୍ଡେନ୍ ଗ୍ଲୋବ୍ ପାଇଁ ୨୭ଟି ବିଭାଗରେ ନୋମିନେସନ୍ ଘୋଷଣା ହୋଇଛି । ‘ଏମିଲିଆ ପେରେଜ୍’କୁ ୧୦ ବିଭାଗରେ ନୋମିନେଟ୍ କରାଯାଇଛି । ସେହିପରି ‘ଆରିନାରା ଗ୍ରାଣ୍ଡ୍’ ଓ ସିନ୍ଥିଆ ଏରିଭୋଙ୍କ ‘ୱିକ୍ଡ’କୁ ୪ଟି ଲେଖାଏଁ ବିଭାଗରେ ନୋମିନେଟ୍ କରାଯାଇଛି ।